ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ ହେବ ୫୦ ହଜାର କୋଟି ଟଙ୍କା: ମୁଖ୍ୟମନ୍ତ୍ରୀ
କେନ୍ଦୁଝର, : ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପଛୁଆ ଓଡିଶାର ବିକାଶ ପାଇଁ ସମ୍ମିଳିତ ଉଦ୍ୟମ ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି। ଡାକ୍ତରମାନେ ହେଉଛନ୍ତି ଭଗବାନ, ସେମାନେ ନିରନ୍ତର ଭାବେ ସେବା ଯୋଗାଇ ଦେଉଥିବାରୁ ସାଧାରଣ ଲୋକେ ସୁସ୍ଥ ହୋଇ ଏକ ବିକଶିତ ରାଷ୍ଟ୍ରର ପରିକଳ୍ପନା କରିପାରୁଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି।ଇଣ୍ଡିଆନ ମେଡିକାଲ ଆସୋସିଏଶନ,ଓଡ଼ିଶା ଶାଖାର ୭୪ତମ ବାର୍ଷିକ ସମ୍ମିଳନୀ ଅବସରରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ନିଜ ବକ୍ତବ୍ୟରେ ରାଜ୍ୟରେ ସ୍ବାସ୍ଥ୍ୟ ବଜେଟ୍ରେ ଏକ ବଡ଼ ଭାଗ ରଖିଥିବାବେଳେ ସଚେତନତାର ଅଭାବ ଯୋଗୁ ଆମେ ଅନେକ ପ୍ରକାରର ରୋଗର ଶିକାର ହେଉଛନ୍ତି ବୋଲି ସେ ପ୍ରକାଶ କରି ରାଜ୍ୟରେ ବିଭିନ୍ନ ପ୍ରକାରର ବିକାଶ ହେଲେ ମଧ୍ୟ ସ୍ବାସ୍ଥ୍ୟ ସେବାର ବିକାଶ ନ ହେଲେ ଉତ୍କର୍ଷ ଓଡିଶା ପରିକଳ୍ପନା ସମ୍ଭବ ହୋଇପାରିବ ନାହିଁ ।ରାଜ୍ୟ ବଜେଟ୍ରେ ସ୍ବାସ୍ଥ୍ୟକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି। ବିଶ୍ୱର ବୃହତ୍ତମ ଜନଆରୋଗ୍ୟ ଯୋଜନା ଯେଉଁଥିରେ ଦେଶର ୬୦କୋଟି ଲୋକ ଅନ୍ତର୍ଭୁକ୍ତ ସେହି ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶାବାସୀଙ୍କୁ ଅଧିକ ସେବା ଦେବ ବୋଲି ସେ ପ୍ରକାଶ କରିଥିଲେ। ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମରେ ରାଜ୍ୟକୁ ୧୩ଲକ୍ଷ କୋଟି ଟଙ୍କାର ବିନିଯୋଗ ପ୍ରସ୍ତାବ ଆସିଥିବାବେଳେ କେବଳ ସ୍ବାସ୍ଥ୍ୟକ୍ଷେତ୍ରରେ ୫୦ହଜାର କୋଟି ଟଙ୍କାର ବିନିଯୋଗ ପ୍ରସ୍ତାବ ଆସିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ସ୍ବାସ୍ଥ୍ୟସେବା ପ୍ରକଳ୍ପରେ ୨୫ହଜାର ନିଯୁକ୍ତି ମିଳିବ ବୋଲି ଜଣାପଡିଛ।୨୦୨୪-୨୫ରେ ଆମ ସରକାର ୨୧ହଜାର କୋଟି ଟଙ୍କା ସ୍ବାସ୍ଥ୍ୟରେ ବଜେଟ୍ ବ୍ୟବସ୍ଥା କରିଥିଲେ। ୨୦୩୬ରେ ଓଡିଶା ପ୍ରତିଷ୍ଠାର ଏକଶହ ବର୍ଷ ପୁର୍ତ୍ତି ପାଳନ ଅବସରରେ ଆମେ ଏକ ବିକଶିତ ଓଡ଼ିଶା କିପରି ଗଠନ କରିପାରିବା ସେଥିପାଇଁ ଏବେଠାରୁ ଚିନ୍ତା କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଥିବାବେଳେ ଏଥିପାଇଁ ରାଜ୍ୟ ସରକାର ୪୦ପ୍ରତିଶତ ଓ କେନ୍ଦ୍ର ସରକାର ୬୦ପ୍ରତିଶତ ଦେବାର ନିୟମ ଥିବାବେଳେ କେନ୍ଦୁଝରରେ ପ୍ରତିଷ୍ଠା ଲାଭ କରିଥିବା ମେଡିକାଲ କଲେଜ ସମ୍ପୂର୍ଣ୍ଣ ଭାବରେ ଜିଲା ଖଣିଜ ପ୍ରତିଷ୍ଠାନ ଅର୍ଥରୁ ବିନିଯୋଗ ହୋଇଛି। ଏହି ମେଡିକାଲ କଲେଜ ଉଦ୍ଘାଟନ ହେବାର ୨ ବର୍ଷ ଅତିକ୍ରାନ୍ତ ହେବାକୁ ବସିଥିଲେ ମଧ୍ୟ କେବଳ ନାମକୁମାତ୍ର ୪ଟି ବିଭାଗକୁ ଛାଡ଼ଅନ୍ୟ କୌଣସି ବହିର୍ବିଭାଗ ଖୋଲି ନ ଥିବା ସହ ତୁରନ୍ତ ଅନଃବିଭାଗ ଖୋଲିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ l