ବୈଷୟିକ ପଦକ୍ଷେପ ଓ ଜନ ସଚେତନତା ହିଁ ରୋକିବ ସର୍ପାଘାତ ଜନିତ ମୃତ୍ୟୁ
ଭୁବନେଶ୍ୱର : ବ୍ୟାପକ ବୈଷୟିକ ପଦକ୍ଷେପ ,ଜନ ସହଭାଗିତା ସହିତ ଜନସଚେତନା ବଢିଲେ ହିଁ ସର୍ପାଘାତ ଜନିତ ବିପର୍ଯୟକୁ ରୋକିହେବ ବୋଲି ବୁଧବାର ଏଠାରେ ଆୟୋଜିତ ଆଲୋଚନାଚକ୍ରରେ ମତ ପ୍ରକାଶ ପାଇଛି । ଆନ୍ତର୍ଜାତୀୟ ସଂସ୍ଥା ଆଭାଏଡବଲ ଡେଥ ନେଟୱାର୍କ ଓ ଓଡିଶା ରାଜ୍ୟ ସ୍ବେଛାସେବୀ ଓ ସମାଜସେବୀ ସଙ୍ଘର ମିଳିତ ଆନୁକୁଳ୍ୟରେ ଆୟୋଜିତ ଦୁଇଦିନିଆ ସର୍ପାଘାତ ଜନିତ ମୃତ୍ୟୁ ଦୂରୀକରଣ ସମ୍ପର୍କିତ ଆଲୋଚନା ଚକ୍ରରେ ଯୋଗଦେଇ ଏଭଳି ବକ୍ତବ୍ୟ ରଖିଛନ୍ତି ଦେଶ ବିଦେଶର ବହୁ ଗବେଷକ ,ବିଶେଷଜ୍ଞ ,ଡାକ୍ତର ,ସମାଜସେବୀ ଓ ବୁଦ୍ଧିଜୀବୀ ।
ସୂଚନା ଅନୁଯାୟୀ ଆମ ଦେଶ ତଥା ରାଜ୍ୟରେ ସର୍ପାଘାତ ଜନିତ ବିପତ୍ତି ବଢ଼ିବାରେ ଲାଗିଛି । ଦେଶରେ ବାର୍ଷିକ ୧ ଲକ୍ଷ ୪୦ ହଜାର ଲୋକ ସର୍ପାଘାତର ସମ୍ମୁଖୀନ ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ ୫୮ ହଜାରରୁ ଅଧିକ ଲୋକ ସାପ କାମୁଡ଼ାରେ ମୃତ୍ୟୁ ମୁଖରେ ପଡନ୍ତି । ସେହିପରି ୨୦୧୫ ରୁ ୨୦୧୯ ମଧ୍ୟରେ ଆମ ରାଜ୍ୟରେ ୬,୩୫୧ ଜଣ ଲୋକ ସର୍ପାଘାତରୁ ମୃତ୍ୟୁ ବରଣ କରିଛନ୍ତି । ଗଞ୍ଜାମରେ ସର୍ବାଧିକ ୩୦୭ ଜଣ ପ୍ରାଣ ହରାଇଥିବା ବେଳେ ପଛକୁ ପଛ ଅଛନ୍ତି କେନ୍ଦୁଝର (୨୯୭) ଓ ବାଲେଶ୍ୱର (୨୯୩ ) । ପ୍ରତି ଦଶଲକ୍ଷ ଲୋକଙ୍କ ମଧ୍ୟରୁ ୨୬ ଜଣ ସର୍ପାଘାତର ଶିକାର ହେଉଥିବା ନେଇ ଆଲୋଚନାଚକ୍ରରେ ମତ ପ୍ରକାଶ ପାଇଛି ।
ଏଥିରେ ଯୋଗଦେଇ ଗ୍ରାମ୍ୟ ଉନ୍ନୟନ ,ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ରାଜ୍ୟରେ ବିପର୍ଯ୍ୟୟ ଜନିତ ମୃତ୍ୟୁସଂଖ୍ୟା କିଭଳି ଶୂନ ରହିବ ସେ ଦିଗରେ ସରକାର ପ୍ରାଥମିକତା ଦେଉଥିବା ସୂଚାଇ ଥିଲେ । ନ୍ୟୁୟର୍କରୁ ପ୍ରତିନିଧିତ୍ବ କରୁଥିବା ଗବେଷିକା ନିବେଦିତା ରାୟ ବେନଏତ ସର୍ପାଘାତ ଏକ ପ୍ରମୁଖ ଜନସ୍ୱାସ୍ଥ୍ୟ ସମସ୍ୟା ଓ ଏହାର ମୁକାବିଲା କୌଶଳ ସ୍ୱତନ୍ତ୍ର ଭାବେ କରାଯିବାର ଆବଶ୍ୟକତା ଥିବା କହିଥିଲେ । ଲଣ୍ଡନରୁ ଆସିଥିବା ଡ଼କ୍ଟର ଷ୍ଟିଫେନ ସାମୁଏଲ ,ଜାପାନର ବିଶେଷଜ୍ଞ ଡ଼କ୍ଟର ହିଦେଉକି ଶିରୋଷିତା ,ସମାଜ ବିଜ୍ଞାନୀ ଡ଼କ୍ଟର ଅମ୍ବିକା ପ୍ରସାଦ ନନ୍ଦ ,ଦିଲ୍ଲୀପ ପଟ୍ଟନାୟକ ପ୍ରମୁଖ ସର୍ପାଘାତ ପୂର୍ବରୁ ଓ ପରବର୍ତ୍ତୀ ସଚେତନତା ଓ କାର୍ଯ୍ୟପନ୍ଥା ବାବଦରେ ଆଲୋକପାତ କରିଥିଲେ । ଗ୍ରାମୀଣ କୃଷକ ,ଶ୍ରମିକ ଓ ବିଶେଷ କରି ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକେ ହିଁ ସର୍ପ ଦଂଶନର ଶିକାର ହେଉଥିବା ସେମାନେ ଦର୍ଶାଇଥିଲେ ।
ଦେଶ ତଥା ରାଜ୍ୟରେ ହେଉଥିବା ବନ୍ୟା ,ବାତ୍ୟା ଓ ବଜ୍ରପାତ ଜନିତ ମୋଟ ମୃତ୍ୟୁ ସଂଖ୍ୟା ମଧ୍ୟରୁ କେବଳ ୪୦ ପ୍ରତିଶତ ମୃତ୍ୟୁ ସର୍ପାଘାତରେ ହେଉଥିବା ଆଲୋଚନା କରାଯାଇଥିଲା । ଭାରତ ସରକାର ୨୦୦୫ରେ ଏହାକୁ ପ୍ରାକୃତିକ ବିପର୍ଯ୍ୟୟ ସୂଚୀରେ ସ୍ଥାନ ଦେଇଥିବା ବେଳେ ରାଜ୍ୟ ସରକାର ୨୦୧୫ ମସିହାରେ ଏହାକୁ ସ୍ୱତନ୍ତ୍ର ବିପର୍ଯ୍ୟୟ ତାଲିକାରେ ଅନ୍ତର୍ଭୁକ୍ତ କରିଥିବା କଥା ଅତିଥି ମାନେ ଦର୍ଶାଇଥିଲେ । ଏପରି ଏକ ସମ୍ବେଦନଶୀଳ ଅପମୃତ୍ୟୁକୁ ରୋକିବା ଦିଗରେ ବ୍ୟାପକ ବୈଷୟିକ ପଦକ୍ଷେପ ସାଙ୍ଗକୁ ଜନସଚେତନତାର ଆବଶ୍ୟକତା ଥିବା ଦର୍ଶାଯାଇଥିଲା । ଓଡିଶା ସ୍ବେଛାସେବୀ ଓ ସମାଜସେବୀ ସଂଘ ପକ୍ଷରୁ ନିହାର ରଞ୍ଜନ ଓ ବାସନ୍ତୀ ଷଢଙ୍ଗି କର୍ମଶାଳା ପରିଚାଳନାରେ ସହଯୋଗ କରିଥିଲେ ।