ମହାନଗର

ଭୁବନେଶ୍ବରରେ ପ୍ରବଳ ବର୍ଷା: ରାସ୍ତାଘାଟ ପାଣିରେ ବୁଡ଼ିଲା

ଭୁବନେଶ୍ବର: ଦୁଇ ଘଣ୍ଟାର ବଡ଼ ବର୍ଷାରେ ରାଜଧାନୀ ଭୁବନେଶ୍ବର ଅବସ୍ଥା ବେହାଲ୍। ସହରର ଅଧିକାଂଶ ଅଞ୍ଚଳରେ ମୁଖ୍ୟରାସ୍ତାରେ ବର୍ଷାପାଣି ଲହଡି ଭାଙ୍ଗୁଛି। ତଳିଆ ଅଞ୍ଚଳଗୁଡ଼ିକ ଜଳାର୍ଣ୍ଣବ ହୋଇଯାଇଛି। ରାସ୍ତାଗୁଡ଼ିକରେ ପାଣି ଭର୍ତ୍ତି ହୋଇ ନଦୀର ଭ୍ରମ ସୃଷ୍ଟି କରୁଛି। ଜୀବନଯାତ୍ରା ଏକରକମ ଠପ୍। ବହୁସ୍ଥାନରେ ଲମ୍ବାଧାଡ଼ିରେ ଅଟକି ରହିଛି ଗାଡ଼ିମଟର। ଟ୍ରାଫିକ ଜାମରେ ଫସି ମୁକୁଳିବା ପାଇଁ ଲୋକେ ଅସ୍ତବ୍ୟସ୍ତ ହେଉଥିବା ବେଳେ ଜାରି ରହିଛି ବର୍ଷା। ରାସ୍ତାଘାଟରେ ଅଟକି ରହିଛନ୍ତି ହଜାରହଜାର ଲୋକ। ମାତ୍ର ଅଧ ଘଣ୍ଟାରେ ଭୁବନେଶ୍ୱରରେ ୭୧ ମିମି ବର୍ଷା ରେକର୍ଡ କରାଯାଇଛି।ଲଗାତର ପ୍ରବଳ ବର୍ଷା ହେତୁ ରାଜଧାନୀର ଅଧିକାଂଶ ଅଞ୍ଚଳରେ ଲହଡି ଭାଙ୍ଗଛି ବର୍ଷାପାଣି। ସହରର ମୁଖ୍ୟରାସ୍ତାଗୁଡ଼ିକରେ ଆଣ୍ଠୁଏ ଉଚ୍ଚତାର ପାଣି ଚାଲୁଥିବାରୁ ବନ୍ୟା ଭଳି ଦୃଶ୍ୟ ସୃଷ୍ଟି କରିଛି। ଭୁବନେଶ୍ବରର ମୁଖ୍ୟରାସ୍ତା ରାଜମହଲରୁ ମାଷ୍ଟର କ୍ୟାଣ୍ଟିନ୍ ଭିତରେ ଆଣ୍ଡୁଏ ଉଚ୍ଚର ପାଣି ଚାଲୁଥିବା ବେଳେ କଳିଙ୍ଗ ଷ୍ଟାଡିୟମଠାରୁ ପୁଲିସ କମିସନରେଟ୍ ମଧ୍ୟରେ ରାସ୍ତାରେ ବର୍ଷାପାଣି ଡିଭାଇଡର୍ ଉପରେ ଲହଡ଼ିଭାଙ୍ଗୁଛି। ସେହିପରି ଇସ୍କନ୍ ସାମ୍ନାରେ ମଧ୍ୟ ଗାଡ଼ି ବୁଡ଼ିଯିବା ଭଳି ପାଣି ହୋଇଛି।

ରସୁଲଗଡ଼ଠାରୁ କଳ୍ପନା ଯାଇଥିବା କଟକ ରୋଡର ବହୁସ୍ଥାନରେ ପ୍ରବଳ ପାଣି ହେତୁ ଯାନବାହନ ଚଳାଚଳ କରିବା ବିପଜ୍ଜନକ ହୋଇପଡ଼ିଛି। ବମିଖାଲ, ଲକ୍ଷ୍ମୀସାଗର ଛକ ଓ ଏସପ୍ଲାନେଡ୍ ମଲ୍ ସାମ୍ନାରେ ପାଣି ଜମି ରହିଛି। ସେହପରି ଶିଶୁଭବନ ଛକଠାରୁ ନବୀନ ନିବାସକୁ ଯାଇଥିବା ରାସ୍ତାରେ ବି ବର୍ଷାପାଣି ଲହଡି ଭାଙ୍ଗୁଛି। ଅନ୍ୟପକ୍ଷରେ ବର୍ଷାରେ ବେହାଲ ହୋଇଯାଇଛି ପୁରୁଣା ଭୁବନେଶ୍ବର। ବିବେକାନନ୍ଦ ମାର୍ଗ ଓ ରଥ ରୋଡରେ ଆଣ୍ଠୁଏ ଉଚ୍ଚର ପାଣି ରାସ୍ତାରେ ଚାଲୁଛି। ବର୍ତ୍ତମାନ ବି ପ୍ରବଳ ବର୍ଷା ଜାରିଥିବାରୁ ପାଣିସ୍ତର ବଢ଼ିବାରେ ଲାଗିଛି। ରାସ୍ତାଘାଟ ବୁଡ଼ି ରହିଥିବାରୁ ବହୁସ୍ଥାନରେ ପ୍ରବଳ ଟ୍ରାଫିକ ଜାମ୍ ହୋଇଛି।

ଟୁଇନ୍‌ ସିଟି କଟକ ଓ ଭୁବନେଶ୍ୱର ସମେତ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆଜି ମଧ୍ୟାହ୍ନରୁ ଆକାଶ ମେଘାଛନ୍ନ ରହିଥିଲା। ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଅପରାହ୍ନରୁ ବିଳମ୍ବିତ ସନ୍ଧ୍ୟା ମଧ୍ୟରେ ବଜ୍ରପାତ ହାଲୁକାରୁ ମଧ୍ୟମ ଧରଣର ଅସରାଏ ଦୁଇଅସରା ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଜାରି ସୂଚନାରେ କୁହାଯାଇଛି।

One thought on “ଭୁବନେଶ୍ବରରେ ପ୍ରବଳ ବର୍ଷା: ରାସ୍ତାଘାଟ ପାଣିରେ ବୁଡ଼ିଲା

  • Manoj Good Smart quick coverage along with reporting of today’s pouring of heavy shower from sky.

    Reply

Leave a Reply

Your email address will not be published. Required fields are marked *