ମୁଖ୍ୟ ଖବର

ବିିଏସ୍‌କେୱାଇକୁ ନେଇ ରାଜନୀତି କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,:ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ସ୍ବାସ୍ଥ୍ୟ କାର୍ଡ ଓଡ଼ିଶାବାସୀଙ୍କୁ ସଶକ୍ତ କରିଛି ଏବଂ ଆତ୍ମବିଶ୍ୱାସ ଓ ଗ୍ୟାରେଣ୍ଟି ଦେଇଛି। ଲୋକେ ସରକାରୀ ଡାକ୍ତରଖାନାରେ ମାଗଣାରେ ଚିକିତ୍ସା ସୁବିଧା ପାଉଛନ୍ତି, ଯାହାର କୌଣସି ସୀମା ନାହିଁ। ବିଏସ୍‌କେୱାଇରେ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଏବଂ ପୁରୁଷଙ୍କ ପାଇଁ ୫ ଲକ୍ଷ ଟଙ୍କା ରହିଛି। ହେଲେ ଗରିବ ଲୋକଙ୍କୁ ମିଳୁଥିବା ଏହି ସ୍ବାସ୍ଥ୍ୟସେବା ବ୍ୟବସ୍ଥାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜନୀତି କରୁଛନ୍ତି ବୋଲି ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ସସ୍ମିତ ପାତ୍ର କହିଛନ୍ତି।
ମଙ୍ଗଳବାର ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ ସରକାରୀ ଡାକ୍ତରଖାନାରେ କୌଣସି ସୀମା ନ ଥାଇ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ବିଏସ୍‌କେୱାଇ ପାଇଁ ଓଡ଼ିଶାରେ ୬୫୨ ଡାକ୍ତରଖାନା ଏବଂ ୧୬ ରାଜ୍ୟର ୧୬୪ ପ୍ରମୁଖ ଡାକ୍ତରଖାନା ତାଲିକାଭୁକ୍ତ ହୋଇଛି। ଗତ ବର୍ଷକ ମଧ୍ୟରେ ଓଡ଼ିଶାରେ ୩୬ ଲକ୍ଷରୁ ଅଧିକ ରୋଗୀ ଚିକିତ୍ସିତ ହୋଇଛନ୍ତି। ବିଏସ୍‌କେୱାଇ ଯୋଗୁ ଓଡ଼ିଶା ଲୋକଙ୍କର ଗୋଟିଏ ବର୍ଷରେ ୩ ହଜାର କୋଟିରୁ ଅଧିକ ଟଙ୍କା ସଞ୍ଚୟ ହୋଇପାରିଛି, ଯାହାକୁ ସେମାନେ ନିଜର ସାମାଜିକ-ଅର୍ଥନୈତିକ ବିକାଶ ପାଇଁ ବ୍ୟବହାର କରିପାରିବେ।
ଗତ ୧ ବର୍ଷ ମଧ୍ୟରେ ବିଏସ୍‌କେୱାଇ ମାଧ୍ୟମରେ ଦେଶର ବିଭିନ୍ନ ରାଜ୍ୟରେ ପ୍ରାୟ ଦେଢ଼ ଲକ୍ଷ ଲୋକଙ୍କୁ ଚିକିତ୍ସା କରାଯାଇଛି। ବିଏସ୍‌କେୱାଇ କାରଣରୁ ସେମାନେ ଗତ ୧ ବର୍ଷ ମଧ୍ୟରେ ପ୍ରାୟ ୩୮୫ କୋଟି ଟଙ୍କା ସଞ୍ଚୟ କରିପାରିଛନ୍ତି। କିନ୍ତୁ ଓଡ଼ିଶା ଭାଜପା ବିଧାୟକ ଏବଂ ବିଶେଷକରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମକୁ ବନ୍ଦ କରିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି। ଯଦି ଓଡ଼ିଶାବାସୀ ବିଏସ୍‌କେୱାଇ ସ୍ବାସ୍ଥ୍ୟ କାର୍ଡରୁ ଉପକୃତ ହେଉଛନ୍ତି, ତେବେ କେନ୍ଦ୍ରମନ୍ତ୍ରୀଙ୍କୁ କାହିଁକି କଷ୍ଟ ହେଉଛି ବୋଲି ସସ୍ମିତ ପ୍ରଶ୍ନ କରିଛନ୍ତି। ଓଡ଼ିଶାରେ ପ୍ରାୟ ୩୬ ଲକ୍ଷ ରୋଗୀ ଚିକିତ୍ସିତ ହୋଇଥିବା ବେଳେ ରାଜ୍ୟ ବାହାରେ ଦେଢ଼ ଲକ୍ଷ ରୋଗୀ ଚିକିତ୍ସିତ ହୋଇଛନ୍ତି। ଧର୍ମେନ୍ଦ୍ର କ’ଣ ଚାହୁଁଛନ୍ତି ଏହି ଲକ୍ଷ ଲକ୍ଷ ଓଡ଼ିଆ ବିଏସ୍‌କେୱାଇ ସ୍ବାସ୍ଥ୍ୟ କାର୍ଡ ଜରିଆରେ ଯେଉଁ ଚିକିତ୍ସା ସୁବିଧା ପାଉଛନ୍ତି, ତାହା ନ ପାଆନ୍ତୁ। ଯଦି ବିଏସ୍‌କେୱାଇ ଏକ ଖରାପ କାର୍ଯ୍ୟକ୍ରମ, ତେବେ ତାଙ୍କ ଦଳର ଇସ୍ତାହାରର ଏକ ନମ୍ବରରେ ସେ କୁହନ୍ତୁ ଯେ ସେମାନେ ବିଏସ୍‌କେୱାଇ ସ୍ବାସ୍ଥ୍ୟ କାର୍ଡକୁ ବନ୍ଦ କରିଦେବେ।

Leave a Reply

Your email address will not be published. Required fields are marked *